ଟି-୨୦ରେ ସୁପର ଓଭରର ସୁପର ଶୋରେ କିଓ୍ଵିକୁ ମାତ୍ ଦେଲା ଭାରତ

0 1

ଓ୍ଵେଲିଂଟନ,୩୧/୧: ପୁଣି ଥରେ ସୁପର ଓଭର ଏବଂ ପୁଣି ଥରେ ବାଜି ମାରିନେଲା ଭାରତ। ତୃତୀୟ ମୁକାବିଲା ପରି ଚତୁର୍ଥ ରୋମାଞ୍ଚକର ମୁକାବିଲାର ଫଇସଲା ସୁପର ଓଭରରେ ଯାଇ ହୋଇଛି। ସୁପର ଓଭରରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୧୩ ରନ କରିଥିଲା, ଯାହାକୁ ଭାରତ ହାସଲ କରିବା ସହିତ ସଂଘର୍ଷପୂର୍ଣ୍ଣ ମ୍ୟାଚକୁ ଜିତି ନେଇଛି। ଏହି ବିଜୟ ସହିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ଭାରତ ୪-୦ରେ ଅଗ୍ରଣୀ ହାସଲ କରିଛି।

ପ୍ରଥମେ ବ୍ୟାଟିଂ କରି ଭାରତ ମନୀଷ ପାଣ୍ଡେ(୫୦) ଲୋକେଶ ରାହୁଲ(୩୯) ବଳରେ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୬୫ ରନ କରିଥିଲା। ଜବାବରେ ଘରୋଇ କିଓ୍ଵି କୋଲିନ ମୁନରୋ(୬୪) ଓ ଟିମ୍ ସେଇଫର୍ଟ(୫୭) ସହାୟତାରେ ୭ ଓ୍ଵିକେଟ୍ ବିନିମୟରେ ସମାନ ୧୬୫ ରନ କରିଥିଲା। ମ୍ୟାଚ୍ ଟାଇ ରହିବା ପରେ ସୁପର ଓଭରର ସହାୟତା ନିଆଯାଇଥିଲା। ଭାରତ ପକ୍ଷରୁ ଯଶପ୍ରୀତ ବୁମରା ବୋଲିଂ କରିଥିଲେ ଏବଂ ନ୍ୟୁଜିଲାଣ୍ଡ ପକ୍ଷରୁ କୋଲିନ ମୁନରୋ ଓ ଟିମ ସେଇଫର୍ଟ ବ୍ୟାଟିଂ କରିଥିଲେ। ଉକ୍ତ ଓଭରରେ ଘରୋଇ ଦଳ ୧ ଓ୍ଵିକେଟ୍ ହରାଇ ୧୩ ରନ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ଲୋକେଶ ରାହୁଲ ଓ ଅଧିନାୟକ ବିରାଟ କୋହଲି ଲକ୍ଷ୍ୟ ହାସଲ କରି ନେଇଥିଲେ। ଲୋକେଶ ରାହୁଲ ପ୍ରଥମ ବଲ ଛକା, ଦ୍ଵିତୀୟ ବଲରେ ଚୌକା ମାରି ତୃତୀୟ ବଲରେ ଆଉଟ୍ ହୋଇଥିଲେ। ଚତୁର୍ଥ ବଲରେ କୋହଲି ଦୁଇ ରନ ଏବଂ ଚତୁର୍ଥ ବଲରେ ଚୌକା ମାରି ଭାରତକୁ ବିଜୟୀ କରାଇଥିଲେ। ଉଲ୍ଲେଖଯୋଗ୍ୟ, ରୋମାଞ୍ଚକର ତୃତୀୟ ଟି-୨୦ ମୁକାବିଲାରେ ସୁପର ଓଭରରେ ଭାରତ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଶୃଙ୍ଖଳା ହାତେଇଥିଲା। ଏହା ସହିତ ପୁଣି ଥରେ ନ୍ୟୁଜିଲାଣ୍ଡ ଦଳ ସୁପର ଓଭର ମୁକାବିଲାରେ ଅଭିଶପ୍ତ ସାବ୍ୟସ୍ତ ହୋଇଛି।

ଉଲ୍ଲେଖଯୋଗ୍ୟ, ନ୍ୟୁଜିଲାଣ୍ଡକୁ ଶେଷ ଓଭରରେ ଜିତିବାକୁ ସାତ ରନ ଦରକାର ଥିଲା। ଏହି ଓଭର ବୋଲିଂ କରିଥିଲେ ଶାର୍ଦ୍ଦୁଳ ଠାକୁର। ତାଙ୍କର ଶାଣିତ ବୋଲିଂର ଉଚିତ୍ ମୁକାବିଲା କରିନପାରି ନ୍ୟୁଜିଲାଣ୍ଡ କେବଳ ଛଅ ରନ ସଂଗ୍ରହ କରିଥିଲା, ଫଳରେ ମ୍ୟାଚ୍ ଟାଇ ରହିଥିଲା।

ନ୍ୟୁଜିଲାଣ୍ଡକୁ ଶେଷ ଓଭରରେ ଜିତିବାକୁ ୭ ରନ ଦରକାର ଥିଲା। କ୍ରିଜରେ ଥିଲେ ରସ୍ ଟେଲର ଓ ଡେରି ମିଚେଲ୍ ଏବଂ ଭାରତ ପକ୍ଷରୁ ବୋଲିଂ କରିଥିଲେ ଶାର୍ଦ୍ଦୁଳ ଠାକୁର। ୨୦ ତମ ଓଭରର ପ୍ରଥମ ବଲରେ ଶାର୍ଦ୍ଦୁଳ ରସ୍ ଟେଲରଙ୍କୁ ପାଭିଲିୟନ ପଠାଇଥିଲେ। ଦ୍ଵିତୀୟ ବଲରେ ଡେରି ମିଚେଲ୍ ଚୌକା ମାରିଥିଲେ ଏବଂ ଦଳକୁ ୪ଟି ବଲରେ ଜିତିବାକୁ ୩ ରନ ଦରକାର ଥିଲା। ତୃତୀୟ ବଲରେ ଟିମ୍ ସେଇଫର୍ଟ ରନ ଆଉଟ୍ ହୋଇଥିଲେ। ଚତୁର୍ଥ ବଲରେ ମିଚେଲ୍ ସାଣ୍ଟନର ଏକ ରନ ନେଇଥିଲେ। ଶେଷ ଦୁଇ ବଲରେ ଘରୋଇ ଦଳକୁ ଜିତିବାକୁ ଦୁଇ ରନ ଦରକାର ଥିଲା। ପଞ୍ଚମ ବଲେ ଡେରି ମିଚେଲ୍ ଶିବମ ଦୁବେଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଏହା ପରେ ଶେଷ ବଲରେ ସାଣ୍ଟନର ଏକ ରନ ନେଇ ଦ୍ଵିତୀୟ ରନ ନେବା ପ୍ରୟାସରେ ରନ ଆଉଟ୍ ହୋଇଥିଲେ। ଏହା ସହିତ ମ୍ୟାଚ୍ ଟାଇ ରହିଥିଲା।

ଭାରତ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ୨ଟି ଓ୍ଵିକେଟ୍ ନେଇଥିବା ବେଳେ ଯଶପ୍ରୀତ ବୁମରା ଓ ୟୁଜବେନ୍ଦ୍ର ଚହଲ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

Leave A Reply

Your email address will not be published.