ଦିଲ୍ଲୀ ବିଧାନସଭା ନିର୍ବାଚନ: ବିଜେପିର ସଂକଳ୍ପ ପତ୍ର ଜାରି, ବାୟୁ ଏବଂ ପାଣି ପ୍ରଦୂଷଣ ନିୟନ୍ତ୍ରଣ ଉପରେ ଜୋର

0 2

ନୂଆଦିଲ୍ଲୀ,୩୧/୧: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଭାରତୀୟ ଜନତା ପାର୍ଟି ନିଜ ଘୋଷଣାପତ୍ର ସଂକଳ୍ପ ପତ୍ର ନାଁରେ ଜାରି କରିଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ତଥା ନିର୍ବାଚନ ପ୍ରଭାରୀ ପ୍ରକାଶ ଜାବଡେକର, ନିତିନ ଗଡକରୀ, ବିଜେପି ଉପାଧ୍ୟକ୍ଷ ତଥା ଦିଲ୍ଲୀ ପ୍ରଭାରୀ ଶ୍ୟାମ ଜାଜୁ, ଦିଲ୍ଲୀ ପ୍ରଦେଶ ଅଧ୍ୟକ୍ଷ ମନୋଜ ତିୱାରୀ, ନିର୍ବାଚନ ପରିଚାଳନା କମିଟିର ସଂଯୋଜକ ଏବଂ ରାଷ୍ଟ୍ରୀୟ ମନ୍ତ୍ରୀ ତରୁଣ ଚୁଘ ଉପସ୍ଥିତ ଥିଲେ ।

ସଂକଳ୍ପ ପତ୍ର ଜାରି କରି ବିଜେପି ନେତାମାନେ କହିଛନ୍ତି ଯେ ଏହି ଘୋଷଣାପତ୍ର ମାଧ୍ୟମରେ ଦଳ ଦିଲ୍ଲୀରେ ପରିବର୍ତ୍ତନର ସଂଳ୍ପପ ନେଇଛି । ଦିଲ୍ଲୀରେ ବିଜେପି ସରକାର ଆସିବା ପରେ ସହରକୁ ବାୟୁ ଏବଂ ଜଳ ପ୍ରଦୂଷଣରୁ ମକ୍ତ କରାଯିବ । ଏହାସହ ଦିଲ୍ଲୀବାସୀଙ୍କ ସୁବିଧା ପାଇଁ ଦଳ ପୁରା କାମ କରିବ । ମନୋଜ ତିୱାରୀ ଅଭିଯୋଗ କରିଛନ୍ତି ଯେ ଦିଲ୍ଲୀ ସରକାର କେନ୍ଦ୍ରର ଯୋଜନାକୁ ଲାଗୁ କରୁନାହିଁ । ଏହାସହ ତିୱାରୀ ଆପ ସରକାର ଉପରେ ସାଧାରଣ ଲୋକଙ୍କୁ ଦେଇଥିବା ଗୋଟିଏ ବି ପ୍ରତିଶ୍ରୁତି ପୁରଣ କରି ନଥିବା ଅଭିଯୋଗ ଲଗାଇଛନ୍ତି । ମନୋଜ ତିୱାରୀ ଦିଲ୍ଲୀରେ ସିଲିଂ ରୋକିବା ପାଇଁ ନିୟମ ଅଣାଯିବା ବୋଲି କହିଛନ୍ତି ।

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ବିଶ୍ୱର ସବୁଠାରୁ ବଡ଼ ଦିଲ୍ଲୀ-ମୁମ୍ୱାଇ ହାଇୱେ ଉପରେ ଆମେ କାମ ଆରମ୍ଭ କରିସାରିଛି । ଏଥିଲାଗି 1 ଲକ୍ଷ 3 ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ସେ ଦାବି କରିଛନ୍ତି ଯେ ଆଜିଠାରୁ ତିନି ବର୍ଷ ଭିତରେ ମାତ୍ର 12 ଘଣ୍ଟାରେ ଦିଲ୍ଲୀର ଜନତା ନିଜ କାରରେ ମୁମ୍ୱାଇ ପହଞ୍ଚି ପାରିବେ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଦିଲ୍ଲୀ ମେରଠ ମଧ୍ୟରେ 16 ଲେନର ସଡ଼କକୁ ଏପ୍ରିଲ ମାସରେ ଉଦ୍‌ଘାଟନ କରିବୁ । ଏହାପରେ ଦିଲ୍ଲୀ ଏବଂ ମେରଠ ମଧ୍ୟର ରାସ୍ତାକୁ କେବଳ 40ରୁ 45 ମିନିଟ ମଧ୍ୟରେ ପୁରଣ କରାଯାଇ ପାରିବ । ଏହି ଅବସରରେ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀ ଦିଲ୍ଲୀରେ ଭଷ୍ଟ୍ରାଚର ମୁକ୍ତ ପାରଦର୍ଶୀ ସରକାର ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ ସେ ଦିଲ୍ଲୀର ବ୍ୟବସାୟୀଙ୍କୁ ଏକ ବର୍ଷରେ ଫ୍ରି ହୋଲ୍ଡ ଦେବା କଥା କହିଛନ୍ତି ।

ବିଜେପି ଦିଲ୍ଲୀର ଗରିବଙ୍କୁ 2 ଟଙ୍କାରେ ଏକ କିଲୋ ଅଟା, ଟ୍ୟାଙ୍କର ମୁକ୍ତ ଦିଲ୍ଲୀ ପାଇଁ ପ୍ରତି ଘରେ ନଳରେ ସ୍ୱଚ୍ଛ ପାଣି ସହ କଲେଜ ଯାଉଥିବା ଝିଅଙ୍କୁ ଇଲେକ୍ଟ୍ରିକ ସ୍କୁଟି ମାଗଣାରେ ଦେବା କଥା କହିଛି । ଏହାସହ ଗରିବ ବିଧବା ମହିଳାଙ୍କ ଝିଅର ବାହାଘର ଲାଗି 51 ହଜାର ସରକାରଙ୍କ ତରଫରୁ ଉପହାର ଦିଆଯିବ ବୋଲି ଘୋଷଣା କରିଛନ୍ତି ।

Leave A Reply

Your email address will not be published.