ପ୍ରମାଣ ନଷ୍ଟ ପାଇଁ ନିଜ ପତ୍ନୀଙ୍କୁ ହତ୍ୟା ପରେ ଜାଳିଦେଲା ସ୍ବାମୀ

10

ବଲାଙ୍ଗୀର,୧୪/୫ : ବଲାଙ୍ଗୀର ଜିଲା ସଇଁନ୍ତଲା ଥାନା ଅନ୍ତର୍ଗତ ଟିକ୍ରାପଡା ଠାରେ ମଙ୍ଗଳବାର ରାତି ଅଧରେ ହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ସ୍ୱାମୀ ନିଜ ଧର୍ମପତ୍ନୀଙ୍କୁ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ହତ୍ୟା ଘଟଣାକୁ ଚପାଇବା ପାଇଁ କିଛି ଲୋକ ହତ୍ୟାକାରୀଙ୍କୁ ସହଯୋଗ ସହ ରାତିଅଧିଆ ମୃତଦେହକୁ ପୋଡି ଦେଇଥିବା ଜଣାଯାଇଛି। ଉକ୍ତ ଘଟଣା ନେଇ ଗ୍ରାମରେ ଆଲୋଚନା ଜୋର ଧରିଥିବା ବେଳେ ପୁଲିସ ଆସି ତଦନ୍ତ ଆରମ୍ଭ କରିଛି।

ଏନେଇ ଟିକ୍ରାପଡା ଫାଣ୍ଡି ଅଧିକାରୀ ଆଦିତ୍ୟ ପ୍ରସାଦ ସାହୁଙ୍କ କହିବା ଅନୁଯାୟୀ , ଅଭିଯୁକ୍ତ ସ୍ୱାମୀ ତ୍ରିଲୋଚନ ରାଜପାଲିଆ ପ୍ରାୟ ୧୫ ବର୍ଷ ପୂର୍ବେ ବେଲପଡା ଥାନା ଅନ୍ତର୍ଗତ ରାଇଖାଲ ଗ୍ରାମର ସୁରେଖା(୩୫)ଙ୍କୁ ବିବାହ କରିଥିଲେ। ସେମାନଙ୍କ କୌଣସି ସନ୍ତାନସନ୍ତତି ନଥିଲା। ତ୍ରିଲୋଚନ ପ୍ରତିଦିନ ମଦ୍ୟପାନ କରି ଘରକୁ ଆସି ସ୍ତ୍ରୀ ସହ କଳହ କରୁଥିଲା। ମଙ୍ଗଳବାର ରାତ୍ରିରେ ଘରକୁ ଫେରି ଗଣ୍ଡଗୋଳ କରିଥିଲା। ମଧ୍ୟରାତ୍ରରେ ସ୍ତ୍ରୀ ସୁରେଖା ଶୋଇଥିବା ବେଳେ ବେକକୁ ଲକ୍ଷ୍ୟ କରି ଟାଙ୍ଗିଆ ଚୋଟ ମାରିଥିଲା। ଫଳରେ ଘଟଣାସ୍ଥଳରେ ସୁରେଖାଙ୍କ ମୃତ୍ୟୁ ଘଟିଥିଲା। ସ୍ତ୍ରୀର ମୃତ୍ୟୁ ଘଟିଥିବା ଜାଣିବା ପରେ ତ୍ରିଲୋଚନ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ଘରେ ବସି ରହିଥିଲା। ପରେ ନିଜ ବାପା ନର୍ଭେରାମଙ୍କୁ ଏସମ୍ପର୍କରେ ଜଣାଇଥିଲା। ଏନେଇ ବାପପୁଅ ମିଶି କିଛି ଲୋକଙ୍କୁ ଡାକି ରାତିରେ ମୃତଦେହକୁ ନେଇ ସ୍ଥାନୀୟ ନଦୀ ଶଯ୍ୟାରେ ପୋଡିଦେଇଥିଲେ।ଅପରପକ୍ଷରେ ହତ୍ୟା ପରେ ମୃତଦେହକୁ ପୋଡିବାରେ ସହାୟତା କରିଥିବା ବ୍ୟକ୍ତିଙ୍କ ଚିହ୍ନଟ ହୋଇସାରିଥିବା ବେଳେ ସେମାନେ ଫେରାର ଥିବା ପୁଲିସ କହିଛି। ପୁଲିସ ଉଭୟ ବାପପୁଅକୁ ଗିରଫ ସହ ଅଧିକ ପଚରାଉଚୁରା ଜାରି ରହିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶିହରଣ ଖେଲିଯାଇଛି।

Comments are closed.