ହେଟ୍ ମାୟର ଓ ସାଇ ହୋପଙ୍କ ଶତକରେ ଧରାଶାୟୀ ଭାରତ, ୮ ଓ୍ଵିକେଟରେ ପ୍ରଥମ ଦିନିକିଆ ଜିତିଲା ଓ୍ଵେଷ୍ଟଇଣ୍ଡିଜ

ଚେନ୍ନାଇ,୧୬/୧୨: ହେଟ୍ ମାୟର ଓ ସାଇ ହୋପଙ୍କ ଶତକରେ ଧରାଶାୟୀ ହେଲା ଭାରତ। ଋଷଭ ପନ୍ତ ଏବଂ ଶ୍ରେୟାସ ଆୟରଙ୍କ ଅର୍ଦ୍ଧଶତକ ଉପରେ ଭାରି ପଡ଼ିଲା ସିମରନ ହେଟମାରଙ୍କ ଶତକ ଓ ସାଇ ହୋପଙ୍କ ଅପରାଜିତ ଶତକ। ହେଟମାୟର(୧୩୯) ଓ ସାଇ ହୋପ(୧୦୨) ରନ ବଳରେ ଏଠାରେ ଖେଳାଯାଇଥିବା ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଭ୍ରମଣକାରୀ ଓ୍ଵେଷ୍ଟଇଣ୍ଡିଜ ଘରୋଇ ଭାରତକୁ ୮ ଓ୍ଵିକେଟରେ ସହଜରେ ପରାସ୍ତ କରିଛି। ଏହି ବିଜୟ ସହିତ ଓ୍ଵେଷ୍ଟଇଣ୍ଡିଜ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଶ୍ରେୟସ ଆୟର(୭୦) ଓ ଋଷଭ ପନ୍ତ(୭୧) ରନ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ଵିକେଟ୍ ହରାଇ ୨୮୭ ରନ କରିଥିଲା। ଜବାବରେ ଓ୍ଵେଷ୍ଟଇଣ୍ଡିଜ ସିମରନ ହେଟମାୟର(୧୩୯) ଓ ସାଇ ହୋପ(୧୦୨) ବଳରେ ୨ ଓ୍ଵିକେଟ୍ ହରାଇ ଅନାୟସରେ ୪୭.୫ ଓଭରରେ ୨୯୧ ରନ କରି ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଶତକୀୟ ଇନିଂସ ଖେଳି ଦଳକୁ ବିଜୟୀ କରାଇଥିବା ସିମରନ ହେଟମାରୟ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଡିସେମ୍ବର ୧୮ରେ ବିଶାଖାପାଟଣାରେ ଶୃଙ୍ଖଳାର ଦ୍ଵିତୀୟ ମୁକାବିଲା ଖେଳାଯିବ।

୨୮୯ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଓ୍ଵେଷ୍ଟଇଣ୍ଡିଜକୁ ମାତ୍ର ୧୧ ରନରେ ସୁନିଲ ଆମ୍ଵ୍ରିସ(୯)ଙ୍କ ରୂପେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଏହା ପରଠୁ ଭ୍ରମଣକାରୀ ଇଣ୍ଡିଜ ପଛକୁ ଫେରି ଚାହିଁନଥିଲା। ଓପନର ସାଇ ହୋପ୍ ଓ ସିମରନ ହେଟମାୟର ଦଳର ବ୍ୟାଟିଂ ଭାର ନିଜ କାନ୍ଧକୁ ନେଇ ଧୈଯ୍ୟର ସହ ଦଳର ସ୍କୋରକୁ ଧିରେ ଧିରେ ଆଗେଇ ନେଇଥିଲେ। ଦୁଇ ବ୍ୟାଟସମ୍ୟାନ ଚମତ୍କାର ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ। ଖାସ୍ କରି ହେଟମାୟର ଭାରତୀୟ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ। ଏହି କ୍ରମରେ ସିମରନ ହେଟମାୟର ଦିନିକିଆ କ୍ୟାରିୟରରେ ପଞ୍ଚମ ଶତକ ପୂରଣ କରିଥିଲେ। ସିମରନ ସାଇ ହୋପଙ୍କୁ ସାଥୀ କରି ଦ୍ଵିତୀୟ ଓ୍ଵିକେଟରେ ୨୧୮ ରନ ଯୋଡ଼ି ଦଳର ବିଜୟ ସୁନିଶ୍ଚିତ କରିଥିଲେ। ଓ୍ଵେଷ୍ଟଇଣ୍ଡିଜ ପକ୍ଷରୁ ଦିନିକିଆରେ ଏହା ଦ୍ଵିତୀୟ ସର୍ବୋଚ୍ଚ ଭାଗିଦାରୀ ରହିଥିଲା।

ପଞ୍ଚମ ଓଭରରେ ପ୍ରଥମ ସଫଳତା ପାଇଥିବା ଭାରତକୁ ୩୯ ତମ ଓଭରରେ ଯାଇ ଦ୍ଵିତୀୟ ସଫଳତା ମିଳିଥିଲା। ବଡ଼ ସର୍ଟ ଖେଳିବାକୁ ଯାଇ ହେଟମାୟର ମହମ୍ମଦ ସାମିଙ୍କ ବଲରେ ଶ୍ରେୟସ ଆୟରଙ୍କୁ କ୍ୟାଚ୍ ଦେଇ ପାଭିଲିୟନ ଫେରିଥିଲେ। ୨୨୯ ରନ ସ୍କୋରରେ ଇଣ୍ଡିଜ ଦ୍ଵିତୀୟ ଓ୍ଵିକେଟ୍ ହରାଇଥିଲା। ହେଟମାୟର ୧୦୬ ବଲରୁ ବିସ୍ଫୋରକ ବ୍ୟାଟିଂ କରି ୧୧ ଚୌକା ଓ ୭ ଛକା ଜରିଆରେ ୧୩୯ ରନର ମ୍ୟାଚ୍ ବିଜୟୀ ପାଳି ଖେଳିଥିଲେ। ଏହା ପରେ ଔପଚାରିକ କାମ ପୂରା କରିଥିଲେ ସାଇ ହୋପ। ସେ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦିନିକିଆ କ୍ରିକେଟରେ ଅଷ୍ଟମ ଶତକ ହାସଲ କରି ଶେଷ ପର୍ଯ୍ୟନ୍ତ ରହି ଦଳକୁ ବିଜୟୀ କରାଇବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ସାଇ ହୋପ୍ ୧୫୧ ବଲରୁ ୭ ଚୌକା ଓ ୧ ଛକା ଜରିଆରେ ୧୦୧ ରନରେ ଅପରାଜିତ ଥିଲେ। ନିକେଲାସ ପୂରଣ ୨୩ ବଲରୁ ୨୯ ରନ କରି ଅପରାଜିତ ଥିଲେ।

ଭାରତ ପକ୍ଷରୁ କୌଣସି ବୋଲର ପ୍ରଭାବଶାଳୀ ବୋଲିଂ କରିପାରିନଥିଲେ। ଦୀପକ ଚହର ଓ କୁଲଦୀପଙ୍କୁ ବାଦ୍ ବାକି ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ତେବେ ଦୀପକ ଚହର ଓ ମହମ୍ମଦ ସାମି କେବଳ ଗୋଟିଏ ଲେଖାଏଁ ଓ୍ଵିକେଟ୍ ପାଇବାରେ ସକ୍ଷମ ହୋଇଥିଲେ।
ଭାରତୀୟ ବ୍ୟାଟିଂ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୧ ରନରେ ଲୋକେଶ ରାହୁଲ(୬)ଙ୍କ ରୂପେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ମାତ୍ର ୨୫ ରନ ସ୍କୋରରେ ଭାରତକୁ ସବୁଠୁ ବଡ଼ ଝଟକା ଲାଗିଥିଲା। ଦମଦାର ଫର୍ମରେ ଥିବା ଅଧିନାୟକ ବିରାଟ କୋହଲି(୪) ସେଲଡ୍ରନ କଟ୍ରେଲଙ୍କ ବଲରେ ବୋଲ୍ଡ ହୋଇ ପାଭିଲିୟନ ଫେରିଥିଲେ। ଏହା ପରେ ରୋହିତ ଶର୍ମା ଓ ଋଷଭ ପନ୍ତ ଦଳର ଇନିଂସକୁ ଆଗକୁ ବଢ଼ାଇଥିଲେ। ଉଭୟ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୫୫ ରନ ଯୋଡ଼ିଥିଲେ। ୮୦ ରନ ସ୍କୋରରେ ରୋହିତ ଶର୍ମା ୩୬ ରନ କରି ବିଦାୟ ନେଇଥିଲେ।

ଏହା ପରେ ଚାରି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରେୟସ୍ ଆୟର ଓ ଋଷଭ ପନ୍ତ ଦଳର ବ୍ୟାଟିଂ ଭାର ସମ୍ଭାଳିଥିଲେ। ଉଭୟ ପ୍ରଥମେ ସତର୍କତାର ସହ ବ୍ୟାଟିଂ କରିଥିଲେ ଏବଂ କ୍ରିଜରେ ଜମି ରହିବା ପରେ ହାତ ଖୋଲା ସଟ୍ ଖେଳିଥିଲେ। ଏହି କ୍ରମରେ ଋଷଭ ଓ ଶ୍ରେୟସ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଶ୍ରେୟସଙ୍କ ଏହା ଦିନିକିଆ କ୍ୟାରିୟରରେ ପଞ୍ଚମ ଅର୍ଦ୍ଧଶତକ ଥିବା ବେଳେ ଋଷଭ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ଦୁଇ ବ୍ୟାଟସମ୍ୟାନ ଚତୁର୍ଥ ଓ୍ଵିକେଟରେ ୧୧୪ ରନ ଯୋଡ଼ି ଦଳର ସ୍ଥିତି ମଜବୁତ କରିବା ସହିତ ଚ୍ୟାଲେଞ୍ଜିଂ ସ୍କୋର ଲାଗି ମୂଳଦୁଆ ପକାଇଥିଲେ। ୧୯୪ ରନ ସ୍କୋରରେ ଶ୍ରେୟସ୍ ଆଉଟ୍ ହୋଇଥିଲେ। ସେ ୮୮ ବଲରୁ ୫ ଚୌକା ଓ ୧ ଛକା ଜରିଆରେ ୭୦ ରନର ମହତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ଶ୍ରେୟସଙ୍କ ପରେ ପନ୍ତ ମଧ୍ୟ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ବଡ଼ ସର୍ଟ ଖେଳିବାକୁ ଯାଇ ସେ ଆଉଟ୍ ହୋଇଥିଲେ। ସେ ୬୯ ବଲରୁ ୭ ଚୌକା ଓ ୧ ଛକା ବଳରେ ୭୦ ରନ କରିଥିଲେ।

ଏହା ପରେ ଅନେକ ଦିନ ପରେ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଫେରିଥିବା କେଦାର ଯାଦବ ଓ ରବିନ୍ଦ୍ର ଜାଡ଼େଜା ଦଳର ଇନିଂସକୁ ଆଗକୁ ନେଇଥିଲେ। କେଦାର ଯାଦବ ୩୫ ବଲରୁ ୩ ଚୌକା ଓ ୧ ଛକା ଜରିଆରେ ୪୦ ରନ କରି ପାଭିଲିୟନ ଫେରିଥିଲେ। ଉଭୟ ବ୍ୟାଟସମ୍ୟାନ ପଞ୍ଚମ ଓ୍ଵିକେଟରେ ୫୯ ରନ ଯୋଡ଼ିଥିଲେ। ଏହା ପରେ ଜାଡ଼େଜା ୨୧ ରନ କରି ପାଭିଲିୟନ ଫେରିଥିଲେ। ଶେଷରେ ନିର୍ଦ୍ଧାରିତ ଓଭରରେ ଭାରତ ୮ ଓ୍ଵିକେଟ୍ ହରାଇ 287 ରନ କରିଥିଲା।

ଓ୍ଵେଷ୍ଟଇଣ୍ଡିଜ ପକ୍ଷରୁ ସେଲଡନ କଟ୍ରେଲ, ଅଲଜାରୀ ଜୋଶେଫ ଓ କିମୋ ପଲ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। କିରଣ ପୋଲାର୍ଡଙ୍କୁ ଗୋଟିଏ ସଫଳତା ମିଳିଥିଲା।

Comments are closed.