ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବ୍ରହ୍ମପୁରରେ ୨ଟି କୋଭିଡ ହସ୍ପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ, ୧/୮ : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବ୍ରହ୍ମପୁରରେ ଦୁଇଟି କୋଭିଡ ହସ୍‌ପିଟାଲ (୧୫୦+୧୫୦) ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ହାର କ୍ରମାଗତ ଭାବରେ କମୁଛି। ଗଞ୍ଜାମରେ ଆରୋଗ୍ୟ ହାର ଜାତୀୟ ହାର ଠାରୁ ଅଧିକ ରହିଛି ଏବଂ ଜିଲ୍ଲାର ୮୫ ପ୍ରତିଶତ ଗ୍ରାମାଞ୍ଚଳ ସବୁଜ ଅଞ୍ଚଳରେ ରହିଛି। କିନ୍ତୁ ଯେପର୍ଯ୍ୟନ୍ତ ଟୀକା ବା ନିର୍ଦ୍ଦିଷ୍ଟ ଚିକିତ୍ସା ପଦ୍ଧତ୍ତି ନବାହାରିଛି ଏହି ମହାମାରୀ ବିରୁଦ୍ଧରେ ଫଳପ୍ରଦ ଲଢେଇର ଏକମାତ୍ର ଉପାୟ ହେଉଛି ମାସ୍କର ବ୍ୟବହାର, ସାମାଜିକ ଦୂରତ୍ୱ ଓ ସରକାରଙ୍କ କୋଭିଡ ନିୟମାବଳୀର ପାଳନ । ତେଣୁ ବର୍ତ୍ତମାନ ପରିସ୍ଥିତିରେ ଆତ୍ମସନ୍ତୋଷର କୌଣସି ସ୍ଥାନ ନାହିଁ । ଜନସାଧାରଣ କୋଭିଡ ନିୟମାବଳୀକୁ ହାଲକା ଭାବରେ ନ ନେଇ ଏହାର ଗୁରୁତ୍ୱକୁ ଭଲ ଭାବରେ ବୁଝନ୍ତୁ । ନିଜର ଏବଂ ନିଜ ପରିବାରର ସୁରକ୍ଷା ଦୃଷ୍ଟିରୁ ସବୁ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଏହି ଅବସରରେ ନିବେଦନ କରିଥିଲେ। ଗହଳି ନ ଯିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ଉନ୍ନୟନ କମିଶନର, ଅତିରିକ୍ତ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ ଯେ ବ୍ରହ୍ମପୁରର କନିଷି ଠାରେ ଥିବା ଅମିତ୍‌ ହସ୍‌ପିଟାଲରେ କଟକର ଅଶ୍ୱିନୀ ହସ୍‌ପିଟାଲ ପକ୍ଷରୁ ଏହି ୧୫୦ ଶଯ୍ୟାବିଶିଷ୍ଟ କୋଭିଡ ହସ୍‌ପିଟାଲ ସ୍ଥାପନ କରାଯାଇଥିବାବେଳେ ଏଥିରେ ୨୪ଟି ICU ବେଡ୍ ରହିଛି। ସେହିପରି MKCG ହସ୍‌ପିଟାଲର ଶିଶୁ ୱାର୍ଡରେ ନୂଆ କୋଭିଡ ହସ୍‌ପିଟାଲ ଆରମ୍ଭ କରାଯାଇଛି । ଏଥିରେ ମଧ୍ୟ ୧୫୦ଟି ଶଯ୍ୟା ରହିଛି ଏବଂ ୨୪ଟି ICU ବେଡ୍ ଅଛି। ପୂର୍ବରୁ ବ୍ରହ୍ମପୁରର ଶିତଳାପଲ୍ଲୀଠାରେ ଟାଟା କୋଭିଡ ହସ୍‌ପିଟାଲରେ ଚିକିତ୍ସା ଜାରି ରହିଛି ।

Comments are closed.