ମହାବାତ୍ୟା ଅମ୍ପନ ମହାତାଣ୍ଡବରେ ୮୪ ମୃତ

18

କଲକାତା,୨୨/୫ : ସମଗ୍ର ପଶ୍ଚିମବଙ୍ଗରେ ସାମୁଦ୍ରିକ ମହାବାତ୍ୟା ଅମ୍ପନ ମହାତାଣ୍ଡବ ରଚିଛି। ଯେଉଁ କ୍ଷୟକ୍ଷତି ହୋଇଛି ତାହା ଅତୀତରେ କେବେ ଘଟି ନ ଥିଲା। ମହାବାତ୍ୟା ତାଣ୍ଡବରେ ରାଜ୍ୟରେ ୭୨ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିଲେ ସୁଦ୍ଧା ଏହି ସଂଖ୍ୟା ଯଥେଷ୍ଟ ଅଧିକ ହେବା ଆଶଙ୍କା କରାଯାଉଛି। କେବଳ ମହାନଗରୀ କୋଲକାତାରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମହାବାତ୍ୟାର ଏହି କ୍ଷୟକ୍ଷତିକୁ ଗୋଟିଏ ଶବ୍ଦରେ ‘ସର୍ବନାଶ’ ବୋଲି କହିବା ସହ ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବାପାଇଁ ଘୋଷଣା କରିଛନ୍ତି। ଏହାସହିତ ମୃତକଙ୍କ ପରିବାର ଯଦି ଅର୍ଥନୈତିକ ଦିଗରୁ ଦୁର୍ବଳ ଥାଆନ୍ତି, ତା’ହେଲେ ସେମାନଙ୍କ ଘର ତିଆରି କରିଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଭାଙ୍ଗି ଯାଇଥିବା ଗାଡିକୁ ମରାମତି ଲାଗି ଅର୍ଥ ଦିଆଯିବ ବୋଲି ସୂଚନା ମିଳିଛି।

ମହାବାତ୍ୟା ଅମ୍ପନର ମାଡ଼ରେ ପଶ୍ଚିମବଙ୍ଗର ମୋଟ ୮ଟି ଜିଲା କଲକାତା, ପୂର୍ବ ଓ ପଶ୍ଚିମ ମେଦିନୀପୁର, ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା, ହୁଗୁଳି, ହାଓଡ଼ା ଏବଂ ପୁରୁଲିଆ ଜିଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ହଜାର ହଜାର ଘର ଭାଙ୍ଗିପଡ଼ିଥିବା ବେଳେ କୃଷି କ୍ଷେତ୍ରରେ ବ୍ୟାପକ କ୍ଷତି ଘଟିଛି। ଚାଷୀମାନେ ସଂପ୍ରତି ମୁଣ୍ଡରେ ହାତଦେଇ ବସିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ପ୍ରଶାସନିକ ଉଚ୍ଚ ସ୍ତରୀୟ ବୈଠକରେ ପ୍ରାଥମିକ ଆକଳନ ଅନୁଯାୟୀ, କ୍ଷୟକ୍ଷତି ୧ ଲକ୍ଷ ୨୨ ହଜାର କୋଟି ଥିବା ଅବଗତ କରାଯାଇଛି। ୭ ଦିନ ଭିତରେ ସଂପୂର୍ଣ୍ଣ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ଜିଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି।

Comments are closed.