ବେଙ୍ଗାଲୁରୁରେ ସାଂପ୍ରଦାୟିକ ହିଂସା, ୩ ମୃତ, ୬୦ରୁ ଅଧିକ ପୁଲିସ କର୍ମୀ ଆହତ

ସହରା ସାରା କର୍ଫ୍ୟୁ, ସୋସିଆଲ ମିଡିଆ ବିବାଦୀୟ ପୋଷ୍ଟ୍‌କୁ ନେଇ ହିଂସା ସୃଷ୍ଟି ହୋଇଛି

ବେଙ୍ଗାଲୁରୁ, ୧୩/୮ : ସୋସିଆଲ ମିଡିଆରେ ଏକ ବିବାଦୀୟ ପୋଷ୍ଟ୍‌କୁ କେନ୍ଦ୍ର କରି ବେଙ୍ଗାଲୁରୁରେ ସୃଷ୍ଟି ହୋଇଛି ସାଂପ୍ରଦାୟିକ ହିଂସାକାଣ୍ଡ । ଗତକାଲି ରାତିରେ ସହରର ପ୍ରାୟ ୩୦ରୁ ଅଧିକ ସ୍ଥାନରେ ବ୍ୟାପକ ହିଂସା ଦେଖିବାକୁ ମିଳିଛି। ପୁଲିସ ଏବଂ ଅର୍ଦ୍ଧସାମରିକ ବାହିନୀର ଉପସ୍ଥିତି ସତ୍ତ୍ୱେ ଦଙ୍ଗାକାରୀମାନେ ୩୦୦ରୁ ଅଧିକ ଗାଡ଼ି ପୋଡ଼ି ଦେଇଛନ୍ତି। ଏହି ହିଂସାରେ ମୋଟ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ପୁଲିସ କର୍ମୀ ଆହତ ହୋଇଛନ୍ତି। କର୍ଣ୍ଣାଟକର ଜଣେ ବିଧାୟକ ଅଖଣ୍ଡ ଶ୍ରୀନିବାସମୂର୍ତ୍ତିଙ୍କ ଜଣେ ସଂପର୍କୀୟ ଫେସ୍‌ବୁକ୍‌ରେ ଏକ ବିବାଦୀୟ ପୋଷ୍ଟ କରିବା ପରେ ଏହା ଭାଇରାଲ୍‌ ହୋଇଯାଇଥିଲା ଏବଂ ଏହାକୁ କେନ୍ଦ୍ର ବଡ଼ ହିଂସା ଦେଖିବାକୁ ମିଳିଥିଲା। କର୍ଣ୍ଣାଟକ ଗୃହମନ୍ତ୍ରୀ ବିଏସ୍‌ ବୋମାଇ ଏବଂ ଅନ୍ୟ ଜଣେ ମନ୍ତ୍ରୀ ସିଟି ରବି କହିଛନ୍ତି ଯେ ଏହି ସାଂପ୍ରଦାୟିକ ହିଂସା ସଂପୂର୍ଣ୍ଣ ସୁନିୟୋଜିତ । ଅତ୍ୟନ୍ତ ଯୋଜନାବଦ୍ଧ ଭାବେ କିଛି ଲୋକ ସରକାରଙ୍କୁ ବଦନାମ କରିବାକୁ ହିଂସା ଭିଆଇଛନ୍ତି। ଉପଦ୍ରବକାରୀମାନେ ବ୍ୟାପକ ପୋଡ଼ାଜଳା କରିଥିବା ବେଳେ ପୁଲିସ ଷ୍ଟେସ୍‌ନକୁ ମଧ୍ୟ ଛାଡ଼ି ନାହାନ୍ତି। ଉପଦ୍ରବକାରୀଙ୍କୁ ଅଟକାଇବାକୁ ପ୍ରୟାସ କରି ପୁଲିସ ଗୁଳି ଚଳାଇଥିଲା ଏବଂ ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଛି।

ବେଙ୍ଗାଲୁରୁ ସହରର ବିଭିନ୍ନ ଅଂଚଳରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବାରୁ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି। ସମଗ୍ର ସହରରେ ଧାରା ୧୪୪ ଲାଗୁ କରାଯାଇଛି। ସମ୍ବେଦନଶୀଳ ଅଂଚଳଗୁଡ଼ିକ ପ୍ରତି ସ୍ୱତନ୍ତ୍ର ନଜର ରଖାଯାଇଛି। ରାପୀଡ଼ ଆକ୍ସନ ଫୋର୍ସ, ସିଆର୍‌ପିଏଫ୍‌ ଏବଂ ସିଆଇଏସ୍‌ଏଫ୍‌ ଯବାନ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି।

Comments are closed.