ଓଡ଼ିଶାରେ କରୋନା ଭୂତାଣୁ ନେଇଛି ୫ ସ୍ୱତନ୍ତ୍ର ରୂପ

ଭୁବନେଶ୍ୱର : ଓଡ଼ିଶାରେ କରୋନା ଭୂତାଣୁ ଏବେ ୫ଟି ରୂପରେ ବୁଲୁଛି। ପ୍ରଥମେ ୧୯-ଏ ରୂପରେ ଓଡ଼ିଶାରେ ପ୍ରବେଶ କରିଥିବା ଏହି ଭୂତାଣୁ ଅଚାନକ ନିଜର ରୂପ ବଦଳାଇ(ମ୍ୟୁଟେସନ୍) ୧୯-ବି’ର ରୂପ ନେଇଥିଲା। ଏହି ୧୯-ଏ ଏବଂ ୧୯-ବି ସମାନ୍ତରାଳ ଭାବେ ରାଜ୍ୟରେ ସଂକ୍ରମଣ ଘଟାଇଚାଲିଲେ। ଏହାପରେ ଦେଶର ଅନ୍ୟ ରାଜ୍ୟରେ ୨୦-ଏ ଏବଂ ୨୦-ବି ଭାବରେ ରୂପ ବଦଳାଇଥିବା କରୋନା ଭୂତାଣୁ ବିଭିନ୍ନ ମାଧ୍ୟମ ଦେଇ ଓଡ଼ିଶାରେ ପ୍ରବେଶ କରିଥିଲା। ଏହି ଦୁଇ ନୂଆ ରୂପରେ କରୋନା ଭୂତାଣୁ ଓଡ଼ିଶାରେ ସଂକ୍ରମଣ ମାତ୍ରାକୁ ତୀବ୍ର କରିଛି। ଏହି ରୂପ ବଦଳାଇବା କ୍ରମରେ ଓଡ଼ିଶାର ପରିବେଶରେ କରୋନା ଭୂତାଣୁ ୨୦-ସି’ର ଏକ ସ୍ୱତନ୍ତ୍ର ରୂପ ନେଇଛି ଯାହା ଦେଶର ଏଯାଏ ଅନ୍ୟ କୌଣସି ରାଜ୍ୟରେ ଦେଖାଯାଇନାହିଁ। ରାଜଧନୀ ଭୁବନେଶ୍ୱରରେ ଥିବା ଭାତର ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ଅଧୀନସ୍ଥ ଜୀବ ବୀଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍‍ଏସ୍‍)ରେ ମାର୍ଚ୍ଚରୁ ଜୁଲାଇ ମଧ୍ୟରେ କରୋନା ରୋଗୀଙ୍କ ଠାରୁ ସଂଗୃହୀତ ୨୨୫ ଭାଇରାଲ ଜିନୋମ୍‍ ପରୀକ୍ଷଣରୁ ଏହି ତଥ୍ୟ ହସ୍ତଗତ ହୋଇଛି।

ଦେଶର ୧୩ଟି ରାଜ୍ୟରୁ ଓଡ଼ିଶାକୁ ଫେରିଥିବା ପ୍ରବାସୀ କରୋନା ରୋଗୀଙ୍କ ଠାରୁ ନମୁନା ସଂଗ୍ରହ ପରେ ତାକୁ ନେଇ ଗବେଷଣା ଆରମ୍ଭ ହୋଇଥିଲା। ଆରଏମ୍‍ଆରସି ସହଯୋଗରେ ଆଇଏଲ୍‍ଏସ୍‍ର ବୈଜ୍ଞାନିକମାନେ ନିଜସ୍ୱ ସାଧନ ଓ ଜ୍ଞାନକୌଶଳ ବ୍ୟବହର କରି ଏହା ଉପରେ ଗବେଷଣା ଚଳାଇଛନ୍ତି। ଓଡ଼ିଶାର କରୋନା ରୋଗୀଙ୍କ ଠାରୁ ସଂଗ୍ରହ କରାଯାଇ ଥିବା ନମୁନା ବିଶ୍ଳେଷଣ ପରେ ଏଥିରେ ସମସ୍ତ ୫ଟି ଯାକ କ୍ଲେଡ୍‍ର ଉପସ୍ଥିତି ଜଣାପଡ଼ିଥିଲା। ୧୯-ଏ, ୧୯-ବି, ୨୦-ଏ, ୨୦-ବି ଓ ୨୦-ସି ଭଳି କ୍ଲେଡ୍‍ ରହିଥିବା ସ୍ପଷ୍ଟ ହୋଇଛି। ତେବେ ୧୯-ବି କ୍ଲେଡ୍‍ର ମାତ୍ରା ସର୍ବାଧିକ (୧୭%) ରହିଥିବା ଜଣାପଡ଼ିଛି। ବିଶେଷକରି ଗୁଜରାଟରୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ଠାରେ ଉଭୟ ୧୯ଏ ଓ ୧୯-ବି କ୍ଲେଡ୍‍ ରହିଥିବା ବିଶ୍ଳେଷଣରୁ ଜଣାପଡ଼ିଛି। ମାର୍ଚ୍ଚରୁ ଏପ୍ରିଲ୍‍ ମାସ ମଧ୍ୟରେ ସଂକ୍ରମଣ ବୃଦ୍ଧିରେ ଏହି କ୍ଲେଡ୍‍ ସମାନ୍ତରାଳ ଭାବେ ସହାୟକ ହୋଇଥିଲେ। ସେହିପରି ୨୦-ଏ ଓ ୨୦-ବି ଭାରତରେ ଦ୍ରୁତଗତିରେ ସଂକ୍ରମଣ ବୃଦ୍ଧି ପାଇଁ ସହାୟକ ହୋଇଛି। ବହୁ ସଂଖ୍ୟକ ଲକ୍ଷଣଯୁକ୍ତ ଆକ୍ରାନ୍ତଙ୍କ ନମୁନାରେ ୨୦-ଏ, ୨୦-ବି ଓ ୨୦-ସି ଉପସ୍ଥିତ ରହିଛି। ତେବେ ୨୦-ସି କ୍ଲେଡ୍‍ ଓଡ଼ିଶାର ନମୁନାରେ ମିଳିଛି। ଦେଶର ଅନ୍ୟ କୌଣସି ପ୍ରାନ୍ତରେ ବିଶ୍ଳେଷିତ ନମୁନାରେ ଏହା ଦେଖିବାକୁ ମିଳିନାହିଁ।

ୟୁରୋପ ଓ ଦକ୍ଷିଣପୂର୍ବ ଏସିଆରୁ ଭୂତାଣୁ ଓଡ଼ିଶାକୁ ସଂକ୍ରମିତ ହୋଇଥିବା ଏହି ବିଶ୍ଳେଷଣରୁ ସ୍ପଷ୍ଟ ହୋଇଥିବା ଆରଏମ୍‍ଆରସି ନିର୍ଦେଶିକା ଡା. ସଂଘମିତ୍ରା ପତି କହିଛନ୍ତି। ଆଇଏଲ୍‍ଏସ୍‍ ନିର୍ଦେଶକ ଡା. ଅଜୟ ପରିଡ଼ା କହିଛନ୍ତି, ଜିନୋମିକ୍‍ସ୍‍ ଅଧ୍ୟନୟ ପରେ କରୋନା ସଂକ୍ରମଣକୁ ନେଇ ବହୁ ଉପାଦେୟ ତଥ୍ୟ ହସ୍ତଗତ ହୋଇଛି। କୋଭିଡ୍‍-୧୯ ଗବେଷଣା ଦିଗରେ ଏହା ବିଶେଷ ସହାୟକ ହେବ। ଆଗକୁ ମଧ୍ୟ ଆଇଏଲ୍‍ଏସ୍‍ରେ ଏହାକୁ ନେଇ ଅଧିକ ଗବେଷଣା ଜାରି ରହିବ।

Comments are closed.