ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ ପ୍ରସିଦ୍ଧ ମରାଠୀ ଫିଲ୍ମ ଅଭିନେତା ଆଶୁତୋଷ ଭାକରେ

ମୁମ୍ବାଇ, ୩୦/୭ : ମରାଠୀ ଅଭିନେତା ଆଶୁତୋଷ ଭାକରେ ଆତ୍ମହତ୍ୟା କରି ନେଇଛନ୍ତି। ଆଶୁତୋଷଙ୍କୁ ମାତ୍ର ୩୨ବର୍ଷ ହୋଇଥିଲା। ଆଶୁତୋଷ ମହାରାଷ୍ଟ୍ରର ନାନ୍ଦେଡ଼ ସ୍ଥିତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରି ନେଇଛନ୍ତି। ପୋଲିସ କହିବା ଅନୁସାରେ, ଆଶୁତୋଷଙ୍କ ମୃତଦେହ ନାନ୍ଦେଡ଼ ସ୍ଥିତ ତାଙ୍କ ବଙ୍ଗଳାରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା। ଆଶୁତୋଷ ମାସେ ତଳେ ନାନ୍ଦେଡ଼ ଆସିଥିଲେ। ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆଶୁତୋଷଙ୍କ ପରଲୋକ ପରେ ଶୋକର ଲହରୀ ଖେଳି ଯାଇଛି।

ଆଶୁତୋଷଙ୍କ ହଠାତ୍ ଚାଲିଯିବା ଫଳରେ ତାଙ୍କ ପ୍ରଶଂସକ ସ୍ତବ୍ଧ ହୋଇଯାଇଛନ୍ତି। ଆଶୁତୋ​‌ଷ ଏତେ ବଡ଼ ପଦକ୍ଷେପ କାହିଁକି ନେଲେ ଏହା ଏଯାଏଁ ଜଣା ପଡ଼ିନାହିଁ। ଆଶୁତୋଷ ଫିଲ୍ମ ଆଣ୍ଡ ଟିଭି ଅଭିନେତ୍ରୀ ମୟୁରୀ ଦେଶମୁଖଙ୍କ ସ୍ୱାମୀ ଥିଲେ। ୨୦୧୬ମସିହା ଜାନୁୟାରୀ ୨୧ତାରିଖରେ ମୟୁରୀ ଏବଂ ଆଶୁତୋ​‌ଷ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଉଭୟଙ୍କ ବଣ୍ଡିଂ ଚମତ୍କାର ଥିଲା। ନାନ୍ଦେଡ଼ର ଗଣେଶ ନଗର ଅଞ୍ଚଳରେ ସେମାନଙ୍କର ବଙ୍ଗଳା ଥିଲା। କିଛି ଦିନ ତଳେ ହିଁ ସେମାନେ ନିଜ ଘରକୁ ଆସିଥିଲେ।

ଆଶୁତୋଷ ଇଣ୍ଡଷ୍ଟ୍ରିରେ ଯଥେଷ୍ଟ ଚର୍ଚ୍ଚିତ ଅଭିନେତା ଥିଲେ। ସେ Ecchar Tharla Pakka ନାମକ ଫିଲ୍ମ କରିଥିଲେ। ଏହି ଫିଲ୍ମକୁ ଖୁବ୍ ପସନ୍ଦ କରାଯାଇଥିଲା। ମୟୁରୀ ମଧ୍ୟ ମରାଠୀ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ। ତାଙ୍କୁ ଧାରାବାହିକ Khulta Kali Khulena ଦ୍ୱାରା ଘରେ ଘରେ ପରିଚୟ ମିଳିଥିଲା। ଉଭୟଙ୍କ ଅଭିନୟକୁ ଖୁବ୍ ପସନ୍ଦ କରାଯାଏ।

ଆଶୁତୋଷଙ୍କ ମୃତ୍ୟୁ ଖବର ଏପରି ସମୟରେ ଆସିଛି ଯେତେବେଳେ ପୂରା ଦେଶ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଖବର ଭୁଲି ପାରୁନାହିଁ।

Comments are closed.