ନରେନ୍ଦ୍ର ମୋଦିଙ୍କ ୬ ବର୍ଷ ସରକାରରେ ହୋଇଛି ୩୨,୮୬୨ଟି ବ୍ୟାଙ୍କ ଠକେଇ, ଲୋକଙ୍କର ବୁଡିଛି ୨. ୭୦ ହଜାର କୋଟି ଟଙ୍କା : କଂଗ୍ରେସ

ନୂଆଦିଲ୍ଲୀ ୩୧/୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟପାଳି ସରକାରକୁ ଶନିବାର ୨ ବର୍ଷ ପୂରଣ ହୋଇଛି। ଏହି ଅବସରରେ ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖି ସରକାରଙ୍କ ସଫଳତା ବଖାଣିଛନ୍ତି। ସେପଟେ ବିରୋଧୀ କଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ୬ ବର୍ଷ ଶାସନରେ ଦେଶର ହୋଇଥିବା କ୍ଷତିର ପୃଷ୍ଠା ଲେଉଟାଇଛି। ଯେଉଁଥିରେ ନରେନ୍ଦ୍ର ମୋଦିଙ୍କ ୬ ବର୍ଷ ସରକାରରେ ଦେଶର ସର୍ବାଧିକ ବ୍ୟାଙ୍କ ଫ୍ରଡ ହୋଇଥିବାର ଅଭିଯୋଗ କରିଛି।

କଂଗ୍ରେସ ମୋଦି ସରକାରଙ୍କ ୬ ବର୍ଷ ଶାସନ କାଲରେ ୩୨ ହଜାର ୮୬୨ଟି ବ୍ୟାଙ୍କ ଠକେଇ ହୋଇଥିବାର ଅଭିଯୋଗ କରିଛି। ଯେଉଁଥି ପାଇଁ ସାଧାରଣ ଜନତାଙ୍କୁ କଷ୍ଟାର୍ଜିତ ୨ଲକ୍ଷ ୭୦ ହଜାର ୫୧୩ କୋଟି ଟଙ୍କା ହରାଇବାକୁ ପଡିଥିବା କହିଛି। କଂଗ୍ରେସ ସାଧାରଣ ସମ୍ପାଦକ କେ.ସି.ବେଣୁ ଗୋପାଲ ଏପରି ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ବ୍ୟାଙ୍କ ଠକେଇ ଦେଶର ବ୍ୟାଙ୍କ ବ୍ୟବସ୍ଥାକୁ ଦେବାଳିଆ କରିଦେଇଛି। ହେଲେ ମୋଦି ସରକାର ଏପରି ଦୁର୍ନୀତି କରିଥିବା ଲୋକଙ୍କଠାରୁ ନିଜ ଭାଗ ନେଇ ମାମଲା ଚପାଇବାରେ ଲାଗିଛନ୍ତି।

ମୋଦି ସରକାରଙ୍କ ୬ ବର୍ଷରେ ଏପରି ଆର୍ଥିକ ଅନିୟମିତତା ଯୋଗୁ ବ୍ୟାଙ୍କମାନଙ୍କର ଷ୍ଟ୍ରେସଡ୍ ଆସେଟ୍ ୧୬, ୫୦,୦୦୦ କୋଟି ଟଙ୍କାରେ ପହଞ୍ଚିଛି। ସେପଟେ ଏନପିଏ ଆକାଉଣ୍ଟ ହାର ୪୨୩ ପ୍ରତିଶତକୁ ବୃଦ୍ଧି ହୋଇଛି। ଏଥିରୁ ମୋଦି ସରକାର ବ୍ୟଙ୍କ ଠକେଇ କରିଥିବା ଲୋକଙ୍କ ଠାରୁ ୬,୬୬,୦୦୦୦ କୋଟି ଟଙ୍କା ନିଜ ଖାତାକୁ ନେଇଯାଇଛନ୍ତି। ଦେଶ ଯେତେବେଳେ କୋଭିଡ-୧୯ ଲକଡାଉନରେ ଥିଲା ସେତେବେଳେ ଆରଟିଆଇରେ ମଗାଯାଇଥିବା ଏକ ସୂଚନାରୁ ଏହି ବଡ ଅନିୟମିତତା ଜଣାପଡିଥିଲା ବୋଲି କହିଛନ୍ତି ବେଣୁଗୋପାଲ। ଯେଉଁଥିରେ ମୋଦି ସରକାର ନିରବ ମୋଦି, ବିଜୟ ମାଲ୍ୟା ଓ ମେହୁଲ ଚୌକସୀଙ୍କ ଭଳି ବ୍ୟାଙ୍କ ଠକଙ୍କ ୬୮ହଜାର ୬୦୭ କୋଟି ଟଙ୍କା ନିଜ ଭାଗକୁ ନେଇଯାଇଛନ୍ତି ବୋଲି ଜଣାପଡିଥିବା ସେ କହିଛନ୍ତି।

ସେହିପରି ବେଣୁଗୋପାଲ ମୋଦି ସରକାରରେ ଜିଡିପିର ଭାବାର୍ଥ ବଦଳିଥିବା କହିଛନ୍ତି। ନିକମା ସରକାରଙ୍କ ଯୋଗୁ ଦେଶର ପ୍ରଗତି ସୂଚକକ ‘ଗ୍ରସଲି ଡିକ୍ଲାଇନିଂ ପରଫର୍ମାନ୍ସ’ରେ ପରିଣତ ହୋଇଥିବା କହିଛନ୍ତି। ସ୍ୱାଧୀନତା ପରେ ଦେଶର ସକଳ ଘରୋଇ ଉତ୍ପାଦ ସର୍ବନିମ୍ନ ସ୍ତରରେ ପହଞ୍ଚିଥିବା ବେଳେ ଜାତୀୟ ଓ ଅନ୍ତର୍ଜାତୀୟ ରେଟିଂ ଏଜେନ୍ସୀମାନେ ୨୦୨୦-୨୧ ବର୍ଷ ଲାଗି ନେଗେଟିଭ ଜିଡିପିର ଆକଳନ କରିଥିବା କହିଛନ୍ତି। ସେହିପରି ମୋଦି ସରକାର ସବୁ ବର୍ଷ ୨କୋଟି ବେକାରଙ୍କ କର୍ମନିଯୁକ୍ତି ଲାଗି ନିର୍ବାଚନୀ ଘୋଷଣା ପତ୍ରରେ ପ୍ରତିଶ୍ରୁତି ଦେଇଥିଲେ। ହେଲେ ୬ ବର୍ଷରେ ବେକାରୀ ହାର ୪୫ ବର୍ଷର ସର୍ବାଧିକ ସ୍ତରରେ ପହଞ୍ଚିଥିବା ବେଳେ କୋଭିଡ ଲକଡାଉନ୍‌ରେ ଦେଶର ଅଧାରୁ ଅଧିକ ଲୋକେ ବେକାର କରିଦେଇଥିବା ବେଣୁ ଗୋପାଲ କହିଛନ୍ତି।

Comments are closed.