ଟିକେଟ ବଂଟନକୁ ନେଇ କଂଗ୍ରେସରେ ମତାନ୍ତର

0 480

ଭୁବନେଶ୍ୱର : ଟିକେଟ ବଂଟନ ପ୍ରକ୍ରିୟାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ମଧ୍ୟରେ ତାଳମେଳ ରହୁନାହିଁ । ଗୋଟିଏ ପରିବାରରୁ ଜଣକୁ ଟିକେଟ ଦେବା ପ୍ରସଙ୍ଗରେ ଉଭୟଙ୍କ ବିରୋଧାତ୍ମକ ଟିପ୍ପଣୀରୁ ଏହା ସ୍ପଷ୍ଟ ଜଣାପଡୁଛି ।
ରାଜ୍ୟରେ କଂଗ୍ରେସର ସ୍ଥିତି ସୁଧାରିବାକୁ ନିରଞ୍ଜନ ପଟ୍ଟନାୟକଙ୍କୁ କଂଗ୍ରେସ ହାଇକମାଣ୍ଡ ପିସିସି ସଭାପତି ଦାୟିତ୍ୱ ଦେଇଛନ୍ତି । ଦଳୀୟ ନେତାଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ସହ ସଂଗଠନକୁ ମଜବୁତ ଦିଗରେ ସହଯୋଗ କରିବା ପାଇଁ ଜିତେନ୍ଦ୍ର ସିଂହଙ୍କୁ ରାଜ୍ୟ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି । କିନ୍ତୁ ଦଳୀୟ ନେତାଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ତ ଦୁରର କଥା ପିସିସି ସଭାପତିଙ୍କ ସହ ତାଙ୍କର ତାଳମେଳ ରହୁନଥିବା ଜଣାପଡିଛି । କିଛିଦିନ ତଳେ ଶ୍ରୀ ସିଂହ କହିଥିଲେ ଯେ କୌଣସି ପରିସ୍ଥିତିରେ ଗୋଟିଏ ପରିବାରରୁ ଦୁଇ ଜଣଙ୍କୁ ଟିକେଟ ଦିଆଯିବନି । ସେତେବେଳେ ଏହାକୁ ନେଇ ଦଳୀୟ ନେତାଙ୍କ ମଧ୍ୟରେ ଛନକା ବି ପଶିଥିଲା । ତାଙ୍କର ଏହି ଟିପ୍ପଣୀ ଉପରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ରାଜ୍ୟ ପ୍ରଭାରୀ ଯାହା କହୁଛନ୍ତି, ତାହା ହେବ । ମାତ୍ର ଏବେ କହୁଛନ୍ତି ଗୋଟିଏ ପରିବାରରୁ ଦୁଇଜଣଙ୍କୁ ଟିକେଟ ଦିଆଯାଇ ପାରିବ । ଏହା ଉପରେ ସଫେଇ ଦେବାକୁ ଯାଇ ସେ କହିଛନ୍ତି ଯେ ଯେଉଁ ପରିବାର ରାଜନୀତି ସହ ଜଡିତ ସେଭଳି ପରିବାରର ଏକରୁ ଅଧିକ ଲୋକଙ୍କୁ ଟିକେଟ ଦେବାରେ କିଛି ଅସୁବିଧା ନାହିଁ । ଶ୍ରୀ ପଟ୍ଟନାୟକଙ୍କ ଏଭଳି ମନ୍ତବ୍ୟ ପରେ କେଉଁଠି ନା କେଉଁଠି ରାଜ୍ୟ ପ୍ରଭାରୀ ଶ୍ରୀ ସିଂହଙ୍କ ସହ ତାଙ୍କର ମତାନ୍ତର ଥିବା ଜଣାପଡୁଛି । ଦଳୀୟ ନେତାଙ୍କ ମଧ୍ୟରେ ବିଶୃଙ୍ଖଳା ଦୁର କରିବେ କ’ଣ ପିସିସି ମୁଖ୍ୟ ଓ ରାଜ୍ୟ ପ୍ରଭାରୀ ବିବାଦ ଦୁର ନ ହେଲେ ଅନ୍ତଃଦ୍ୱନ୍ଦ ବଢ଼ିବ ବୋଲି ରାଜନୀତି ବିଶ୍ଳେଷକ ମହଲରେ ଆଲୋଚନା ହେଉଛି । ବିଳମ୍ବରେ ପିସିସି ମୁଖ୍ୟ କରାଯିବା ପରେ ତାଙ୍କ ଉପରେ ଅଙ୍କୁଶ ଲାଗାଯାଉଥିବାରୁ ନିରଞ୍ଜନ ଏଭଳି ଟିପପ୍ଣୀ ଦେଇଥିବା ଅଲୋଚନା ହେଉଛି । ରାଜ୍ୟ କଂଗ୍ରେସରେ ରାଜ୍ୟ ପ୍ରଭାରୀଙ୍କ ଦବ୍ଦବା ରହୁଛି ନା ପିସିସି ମୁଖ୍ୟଙ୍କର ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.