ବାୟୁସେନାର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିବ ରାଫେଲର ରକ୍ଷଣାବେକ୍ଷଣ

ଚଣ୍ଡୀଗଡ଼ : ଗତ ବୁଧବାର ହରିଆଣାର ଆମ୍ବଲା ବାୟୁସେନା ବିମାନବନ୍ଦରରେ ଆସି ଡେରା ପକାଇଥିବା ଫ୍ରାନ୍ସର ଡାସଲ୍‌ଟ ନିର୍ମିତ ୫ଟି ରାଫେଲ ଯୁଦ୍ଧ ବିମାନ ନିଶ୍ଚିତ ଭାବରେ ଶତ୍ରୁପକ୍ଷର ନିଦ ହଜାଇଦେବାରେ ସମର୍ଥ। ତେବେ ବାୟୁସେନାରେ ସାମିଲ ହୋଇଥିବା ଏହି ଅତ୍ୟାଧୁନିକ ବିମାନ ଯେ ଖୋଦ୍‌ ବାୟୁସେନା ଉପରେ ବୋଝ ହୋଇ ମାତ୍ରାଧିକ ଆର୍ଥିକ ଚାପ ପକାଇବ, ତାହାକୁ କେହି ଅଣଦେଖା କରିପାରିବେନି। କାରଣ ଏହା ହେଉଛି ବାୟୁସେନାର ସପ୍ତମ ପ୍ରକାର ଯୁଦ୍ଧବିମାନ ଯାହା କି ସମ୍ପ୍ରତି ସକ୍ରିୟ ଥିବା ଅନ୍ୟ ୬ ପ୍ରକାର ଲଢୁଆ ବିମାନ ସହ ନିଜସ୍ୱ କାର୍ଯ୍ୟକାରିତା ଦେଖାଇବ। ତେବେ ଏହା ପାଇଁ ଭିତ୍ତିଭୂମି ସଜଡ଼ା ପାଇଁ ଆବଶ୍ୟକ ପର୍ଯ୍ୟାପ୍ତ ପରିମାଣର ଅର୍ଥ ହିଁ ଅତ୍ୟନ୍ତ ଚାପରେ ଥିବା ବାୟୁସେନାର ଆର୍ଥିକ ସ୍ଥିତିକୁ ଆହୁରି ଦୁର୍ବଳ କରିପକାଇବ। ରାଫେଲ ସମେତ ଭାରତର ଏହି ସମସ୍ତ ସାତ ପ୍ରକାର ଲଢୁଆ ବିମାନଶ୍ରେଣୀର ରକ୍ଷଣାବେକ୍ଷଣ ବାବଦ ହେବାକୁ ଥିବା ଖର୍ଚ୍ଚ ବାୟୁସେନା ପାଇଁ କେବଳ ଦୁଃସ୍ୱପ୍ନ ହୋଇ ରହିବନି, ଏହାର ସ୍ୱାଭାବିକ କାର୍ଯ୍ୟଦକ୍ଷତାକୁ ମଧ୍ୟ ପ୍ରଭାବିତ କରିବ ବୋଲି ଅନେକ ସାମରିକ ବିଶେଷଜ୍ଞ ଆଶଙ୍କା ବ୍ୟକ୍ତ କରିଛନ୍ତି।

ସୂଚନାଥାଉ କି, ବିଶେଷ କରି ବାୟୁସେନା ନିଜର ଯୁଦ୍ଧବିମାନଗୁଡ଼ିକର କମ୍‌ ଉଡ଼ାଣ ଅଭ୍ୟାସ କରାଇବା ଏବଂ ସେଗୁଡ଼ିକୁ ତତ୍କାଳ ପ୍ରସ୍ତୁତ କରି ନରଖିବା ଯୋଗୁଁ ସିଏଜି ଏବଂ ସଂସଦୀୟ ପ୍ରତିରକ୍ଷା କମିଟି ବର୍ଷ ବର୍ଷ ଧରି ଭର୍ତ୍ସନା କରି ଆସିଛନ୍ତି, ମାତ୍ର ଏଯାଏ କୌଣସି ସୁଧାର ଆସିନାହିଁ। ଅବଶ୍ୟ ବାୟୁସେନାର ଏପରି ଅବହେଳା କେବଳ ବିମାନଗୁଡ଼ିକର ସମୟୋଚିତ ରକ୍ଷଣାବେକ୍ଷଣ, ମରାମତି ଏବଂ ଲଢ଼େଇ କାରବାର ଅଭାବରୁ ହିଁ ହୋଇଆସିଛି ବୋଲି ଜଣେ ବରିଷ୍ଠ ବାୟୁସେନା ଅଧିକାରୀଙ୍କ ମତ । ଉଦାହରଣ ସ୍ୱରୂପ, ଦୈତ୍ୟ ଇଞ୍ଜିନ ବିଶିଷ୍ଟ ମିଗ୍‌-୨୯ ଏବଂ ସୁଖୋଇ-୩୦ରେ ଲାଗି ରହିଥିବା ଯନ୍ତ୍ରାଂଶ ସମସ୍ୟା। ସେସବୁର ସମାଧାନ ହୋଇଯିବ ବୋଲି ବିମାନ ନିର୍ମାତାଙ୍କର ପ୍ରତିଶ୍ରୁତି ମିଳୁଛି, ମାତ୍ର ଠିକଣା ସମୟରେ ତାହା କାମ ଦେଉନାହିଁ। ସେହିପରି କାର୍ଯ୍ୟକ୍ଷମ ଥିବା ଯୁଦ୍ଧବିମାନଗୁଡ଼ିକର ସଂଚାଳନକ୍ଷମ ଗତିଶୀଳତା ମଧ୍ୟ ଏକ ଦୀର୍ଘମିଆଦୀ ସମସ୍ୟା ହୋଇ ରହିଆସିଛି। ଦଶନ୍ଧି ଦଶନ୍ଧି ଧରି ଭାରତୀୟ ବାୟୁସେନା ବିଶେଷ କରି ଏହାର ରୁଷ୍ ନିର୍ମିତ ସାମରିକ ଯନ୍ତ୍ରାଂଶଗୁଡ଼ିକର ରକ୍ଷଣାବେକ୍ଷଣରେ ଘୋର ଅସୁବିଧାର ସମ୍ମୁଖୀନ ହୋଇ ଆସୁଛି। ଅପରପକ୍ଷେ, ୧୯୯୦ରେ ସୋଭିଏତ ସଂଘ ବିଭାଜନ ହେଲା ପରେ ଏହି ସମସ୍ୟା ଆହୁରି ଗୁରୁତର ହୋଇ ଚାଲିଛି। କାରଣ ଅଧିକାଂଶ ସାମରିକ ଯନ୍ତ୍ରାଂଶ କାରଖାନା ୟୁକ୍ରେନ୍‌ ଆଦି ଦେଶରେ ରହିଛି ଯାହା ପୂର୍ବରୁ ମସ୍କୋ ଅଧୀନରେ ରହିଥିଲା। ତେବେ ସର୍ବୋପରି ଯୁଦ୍ଧ ବିମାନଗୁଡ଼ିକର ରକ୍ଷଣାବେକ୍ଷଣ ସମ୍ଭାଳିବାର କଠିନ ସ୍ଥିତି ଅର୍ଥ ଅନୁଦାନ ଉପରେ ହିଁ ନିର୍ଭର କରେ।

Comments are closed.