ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଗରାବଡୁ ସେବାୟତଙ୍କର ହେବ କରୋନା ଟେଷ୍ଟ

0 17

ପୁରୀ,୨୩/୫ : ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣିମାରେ ନିୟୋଜିତ ହେବାକୁ ଥିବା ଗରାବଡୁ ସେବାୟତଙ୍କ କରୋନା ଟେଷ୍ଟ କରାଯିବ । ଆସନ୍ତା ୨୯ଓ ୩୦ ତାରିଖରେ ସବୁ ଗରାବଡୁ ସେବାୟତଙ୍କ କରୋନା ପରୀକ୍ଷା କରାଯିବା ଲାଗି ନିଷ୍ପତ୍ତି ହୋଇଛି । ଶ୍ରୀଜିଉଙ୍କ ସେବା କରୁଥିବା ମୋଟ ୧୭୨ ଜଣଙ୍କର ନମୁନା ସଂଗ୍ରହ କରାଯିବ ଏବଂ ୩ ତାରିଖ ସୁଦ୍ଧା ରିପୋର୍ଟ ଆସିବା ଲକ୍ଷ୍ୟ ରଖାଯାଇଛି। ୫ ତାରିଖରେ ସ୍ନାନ ପୂର୍ଣ୍ଣିମା ଆଗରୁ ସବୁ ସେବାୟତଙ୍କ କରୋନା ପରୀକ୍ଷା ରିପୋର୍ଟ ଆସିବ ବୋଲି ଶ୍ରୀମନ୍ଦିର ପ୍ରଶାସନର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି । ଗରାବଡୁ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନଙ୍କ ମଧ୍ୟରେ ଆଜି ହୋଇଥିବା ବୈଠକରେ ଏ ନେଇ ନିଷ୍ପତି ହୋଇଛି ।

ସୂଚନାଯୋଗ୍ୟ ସ୍ନାନ ପୂର୍ଣ୍ଣିମାରେ ଗରାବଡୁ ସେବାୟତଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ଶ୍ରୀଜିଉଙ୍କ ସ୍ନାନ ପାଇଁ ଗରାବଡୁ ସେବାୟତମାନେ ୧୦୮ ଗରା ସୁବାସିତ ଜଳ ଆଣି ଶ୍ରୀଜିଉଙ୍କୁ ସ୍ନାନ କରାଇଥାନ୍ତି । ଏଣୁ ଏହି ଗରାବଡୁ ସେବାୟତମାନଙ୍କର କରୋନା ଟେଷ୍ଟ ସହ କିପରି ସେମାନେ ଦେବସ୍ନାନ ପୂର୍ଣ୍ଣିମାରେ ଅଧିବାସ ଗୃହରୁ ସ୍ନାନ ମଣ୍ଡପକୁ ଜଳ ଆଣିବା ବେଳେ ସାମାଜିକ ଦୂରତା ରକ୍ଷା କରିବେ ସେଥଇପାଇଁ ମଧ୍ୟ ସଚେତନ କରାଯାଇଛି । ଏହାସହ ମୁହଁରେ ମାସ୍କ ପିନ୍ଧି ଗରାବଡୁ ସେବାୟତ ୧୦୮ ଗରା ଜଳ ନେଇ ଆସିବେ ବୋଲି ଆଜି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.