କାଳିଆ ଟଙ୍କା ଫେରାଇବାକୁ ୩୨୬ ଜଣଙ୍କୁ ନୋଟିସ ଜାରୀ

ବଲାଙ୍ଗୀର,୨/ ୮: ଗତ ବର୍ଷ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ରାଜ୍ୟର ଗରିବ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ସୁଧୃଢ଼ କରିବା ପାଇଁ କାଳିଆ ଯୋଜନା ରାଜ୍ୟ ସରକାର ପ୍ରଣୟନ କରିଥିଲେ । ଏହି ଯୋଜନାରେ ଗରିବ ଚାଷୀଙ୍କୁ ପ୍ରୋତ୍ସାହନ ରାଶି ବାବଦରେ ସେମାନଙ୍କ ଜମାଖାତାକୁ ପର୍ୟ୍ୟାୟକ୍ରମେ ୫ ହଜାର ଓ ତାପରେ ଦ୍ୱିତୀୟ ପର୍ୟ୍ୟାୟରେ ୧୦ ହଜାର ଟଙ୍କା ହିସାବରେ ଜଣେ ଚାଷୀଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ଦିଆଯାଇଥିଲା । ଏବେ କିନ୍ତୁ ରାଜ୍ୟ ସରକାର ଅଯୋଗ୍ୟ ହିତାଧିକାରୀ ଚୟନ କରିଛନ୍ତି ଏବଂ ସେମାନଙ୍କୁ କାଳିଆ ଯୋଜନାରେ ପାଇଥିବା ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଳକ ଅର୍ନ୍ତଗତ ୧୩ ଗୋଟି ପଂଚାୟତ ଓ ତୁଷୁରା ଏନଏସିର ୧୧ ଗୋଟି ୱାର୍ଡ଼ ରୁ କାଳିଆ ଯୋଜନାରେ ସାମିଲ ଥିବା ୩୨୬ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି।

ତେବେ ନୋଟିସ ପାଇଥିବା ଚାଷୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ନିଜ ପ୍ରତିକ୍ରିଆରେ କହିଛନ୍ତି ଯେ ସରକାର ନିଜେ କାଳିଆ ଯୋଜନାର ହିତାଧିକାରୀ ଚୟନ କରିଥିଲେ ଏବଂ ପ୍ରୋତ୍ସାହନ ରାଶି ଜମାଖାତାରେ ଜମା କରିଥିଲେ। ଏହିପରିକି ଏହି ବ୍ଳକ ଓ ଏନଏସିରେ ଦ୍ୱିତୀୟ କିସ୍ତି କାଭାଁ କିଛି ହିତାଧିକାରୀ ପାଇଥିଲେ। ଏବେ କରୋନା ସଂକ୍ରମଣ ଯୋଗୁଁ ସମଗ୍ର ଦେଶବାସୀ କାମଧନ୍ଦା ହରାଇ ଘୋର ଆର୍ଥିକ ସଂଙ୍କଟରେ ଥିବାବେଳେ ରାଜ୍ୟ ସରକାରଙ୍କ ଟଙ୍କା ଫେରାଇବା ପାଇଁ ନୋଟିସ ବଡ଼ ଦୁଃଖଦାୟକ । ଏବେ ଧାନ ରୁଆ ଓ ବୁରା ଚାଳିଛି, ଯେଉଁଥିପାଇଁ ଚାଷୀ ଧାର କରଜରେ ଚାଷ କାର୍ୟ୍ୟ କରୁଛି। ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ଚାଷୀଙ୍କୁ ଟଙ୍କା ଫେରାଇବାକୁ ନୋଟିସ ଦେବା ଠିକ ହୋଇ ନାହିଁ। କାଳିଆ ଟଙ୍କା ଫେରାଇବାକୁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରେରିତ ବ୍ଳକର ପ୍ରାୟ ସମସ୍ତ ଅଯୋଗ୍ୟ ହିତାଧିକାରୀଙ୍କୁ ନୋଟିସ ଦିଆ ସରିଛି। ରାଜ୍ୟ ସରକାର ଏକ ବ୍ୟାଙ୍କ ଏକାଉଂଟ ନମ୍ବର ଜାରୀ କରିଛନ୍ତି ଯେଉଁଠି ଚାଷୀମାନେ ଟଙ୍କା ଫେରସ୍ତ କରି ପାରିବେ ବୋଲି ଗୁଡ଼ଭେଳା ବ୍ଳକ ଅତିରିକ୍ତ କୃଷୀ ଅଧିକାରୀ ପ୍ରମୋଦ ବଡ଼ପଣ୍ଡା ସୂଚନା ଦେଇଛନ୍ତି।

Comments are closed.