ବିନା ଆଇଏସଆଇ ମାର୍କରେ ହେଲମେଟ୍ ପିନ୍ଧିଲେ ଲାଗିବ ଫାଇନ୍

ନୂଆଦିଲ୍ଲୀ, ୧/୮ : ଏବେ ରାସ୍ତା କଡରୁ ହେଲମେଟ୍ କିଣିବା ଆପଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଏପରି ଏକ ଯୋଜନା ଉପରେ କାମ କରୁଛନ୍ତି କେନ୍ଦ୍ର ସରକାର। ଯେଉଁଥିରେ ଦୁଇଚକିଆ ଯାନରେ ଲୋକାଲ କ୍ୱାଲିଟୀର ହେଲମେଟ ପିନ୍ଧିଲେ ଫାଇନ ଦେବାକୁ ପଡିବ । ଏହି ନିୟମ ଲାଗୁ ହେଲେ ବିନା ଆଇଏସଆଇ ମାର୍କରେ ହେଲମେଟ୍ ପିନ୍ଧିଲେ ଫାଇନ୍ ଲାଗିବ । କେନ୍ଦ୍ର ପରିବହନ ମନ୍ତ୍ରାଳୟ ଏକ ନୋଟିଫିକେସନ ଜାରି କରି ଏହି ସୂଚନା ଦେଇଛି ।

ନୋଟିଫିକେସନ ଅନୁସାରେ, ବାଇକ ଆରୋହୀ ବ୍ୟୁରୋ ଅପ୍ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ମାନକର ହେଲମେଟ୍ ପିନ୍ଧିବା ଜରୁରୀ । ନଚେତ ଫାଇନ୍ ଦେବାକୁ ପଡିବ । ଲୋକାଲ ଓ ନିମ୍ନ କ୍ୱାଲିଟୀର ହେଲମେଟର ପ୍ରସ୍ତୁତି ଓ ବିକ୍ରି ଉପରେ ମଧ୍ୟ କଟକଣା ଲାଗିବ । ଏଥିପାଇଁ ନୂଆ ନିୟମ ଲାଗୁ ହେବ । ଏପରିକି ପ୍ରସ୍ତୁତକର୍ତ୍ତାଙ୍କୁ ଜେଲ୍ ମଧ୍ୟ ହୋଇପାରେ । ୨୦୨୧ ମାର୍ଚ୍ଚ ୧ରୁ ଏହି ନିୟମ ସାରା ଦେଶରେ ଲାଗୁ ହେବ ।

ହେଲମେଟ୍ ପ୍ରସ୍ତୁତ କରୁଥିବା କମ୍ପାନୀ କ୍ଲାଲିଟୀ ଷ୍ଟାଣ୍ଡାର୍ଡର ହେଲମେଟ୍ ତିଆରି କରିବା ଆବଶ୍ୟକ । ବିଆଇଏସ ଚିହ୍ନ ଥିବା ଜରୁରୀ । ଏହା ଏକ ଲାଇସେନ୍ସ ଆଧାରରେ ହେଲମେଟରେ ପ୍ରିଣ୍ଟ୍ କରାଯାଏ । ତେବେ ବିଦେଶରୁ ଆମଦାନୀ ହେଉଥିବା ହେଲମେଟ୍ ପାଇଁ ଏହା ଲାଗୁ ହେବ ନାହିଁ । କାରଣ ଏହିସବୁ ହେଲମେଟରେ ପୂର୍ବରୁ ଅନେକ ମାନଦଣ୍ଡ ଓ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇ ଥାଏ । ତେବେ ନିୟମ ନମାନିଲେ ଦଣ୍ଡବିଧାନ ହେବ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।

ଏହି ନୋଟିଫିକେସନରେ ପରିବହନ ମନ୍ତ୍ରାଳୟ ଜୁଲାଇ ୩୦ରେ ଅଧିସୂଚନା ଜାରି କରି ଆପତ୍ତି ଓ ପରାମର୍ଶ ମାଗିଛି । କମ୍ପାନୀମାନେ ଏହା ଉପରେ ସରକାରଙ୍କୁ ୩୦ ଦିନ ମଧ୍ୟରେ ପରାମର୍ଶ ଦେଇପାରିବେ ।

Comments are closed.